ମୋ ସହିତ ତୁ ବି ସେଦିନ ଜନ୍ମ ନେଇଥିଲୁ |
ମୁଁ ଥିଲି ଆଲୋକ ପଟେ
ଆଉ ତୁ ଠିଆ ହୋଇଥିଲୁ ମୋ ଛାଇ ଅନ୍ଧାର ରେ
ମୋତେ ଡରାଇବାକୁ
କନ୍ଦାଇବାକୁ |
..........
ଏବେ ମୁଁ ମୋ କାମରେ ଲୋକ ଗହଳିରେ ଥିଲାବେଳେ
ତୁ ମୋତେ ଅପେକ୍ଷା କରିଥାଉ ଘରେ.
ସୋଫା ଉପରେ;
କେତେବେଳେ
ସଫୋଲା କି ସୋରିଷ ତେଲ ଶିଶି ମଝିରେ ,
ଡାଲୀ ଚାଉଳ ଡବା ସନ୍ଧିରେ
ମୋ ପୁରଣା ମାରୁତି କାର୍ ର ଡିକି ଭିତରେ |
---------
ତେଲ ଜର ଜର କରି,
କପାଳରେ କଳା ଟିପା ଟିଏ ଦେଇ
ଛାଂଚୁଣୀ ଛିଂଡ଼ାଇ ଖଣ୍ଡେ
ଶେଯ ପାଖେ ରଖି
ବୋଉ ଯେତେବେଳେ ଚାଉଳ ଧୋଇବାକୁ ଯାଉଥିଲା
ଓ ଗଢିଆରେ ପିତାଗମା ଶାଗ ଲୋଭେ
ଫେରିବାକୁ ଡେରି କରୁଥିଲା , ସେତେବେଳ
ତୁ ପାଦ ଚିପି ଚିପି ଆସି
ମୋ ଶେଯ ପାଶେ ବସି
ତୋ ଡାମରା ଡାମରା ଆଖି ପତା ଲେଉଟାଇ
ବଡ ବଡ ଦାନ୍ତକୁ ନିକୁଟି
ଯେବେ ମୋତେ ହନ୍ତ ସନ୍ତ କରୁଥିଲୁ,
ମୋ କାନ୍ଦ ଶୁଣି ସାଆନ୍ତ ଦୌଡି ଆସିଲେ
ତୁ ଛୁ ମାରୁଥିଲୁ |
...
ମୋ ସାଂଗରେ ଜନ୍ମ ହୋଇ
ତୋର କିପରି ଏତେ ବଡ ବଡ ଦାନ୍ତ ହେଲା ?
ସେ ରହସ୍ୟ
ଏବେ ବି ମୁଁ ଭେଦୀ ପାରିନି ,
ପଚାରିଲାରୁ
ତୁ ଦାନ୍ତ କଡମଡ କରୁ ସିନା
କିଛି ତ କହୁନି!
----------------------------
ମୋ ସାଆନ୍ତ ତ ପୁରୁଣା ଲୋକ,
ତାନ୍କୁ ଅଛପା ନଥିଲା ତୋ ଭେକ |
ତୋତେ ଭଗାଏଦେବାକୁ
ସେ କଲେ ସତ୍ୟନାରାୟଣ ବ୍ରତ |
ତେବେ ତୁ ହଟିଯାଇ ଅନ୍ଧାରେ ବସି ଉନ୍ଡୁଥିଲୁ
ମୋତେ ଧରିବାକୁ; ଯେବେ ଫେରେ
ପୁଜା ପରେ
ଚେମିଣି ବାରିକ, ବୁଦ୍ଧିଆ ମା ଓ ବଇଁଶୀ ପିଉସାଘରେ
ଭୋଗ ଦେଇ ଫେରିଲାବାଟରେ |
ତୁ ମୋ ବାଟ ଓଗାଳି କହୁ
ଗାରୁଡୁ ଗାରୁଡୁ କ'ଣ ବା ସବୁ
ଯାହା ତୁଇ ଖାଲି ଜାଣୁ |
ମୁଁ କିନ୍ତୁ ଡରି ଛୁ ମାରୁଥଲି
ଓ ମୋ ସାଆନ୍ତ ଲଣ୍ଠନ ଧରି ଆସି ଯାଉଥିଲେ |
ଦେଖି ତାନ୍କୁ ତୁ,
ଲସର ପସର ହୋଇ ଉଭାନ୍ ହୋଇଯାଉଥିଲୁ
ଓ ମୁଁ କିଛି ଦିନ ପାଇଁ ନି୍ଶ୍ବାସ ନେଉଥିଲି
ଦିନ ଗଣି ଗଣି
ପୁଣି ଆସନ୍ତା ତିଥି ଅପେଖ୍ୟା ରେ
ମୋ ଜୀବନ ଚକ୍ରରେ |
ତୁ କଣ ଏତେ ସବୁ ଜାଣୁ ଯେ
ମୋତେ ବହେ କହି କହି ଭୁଲାଉ ଥିଲୁ ?
ପଚାରି ଥିଲି ତୋତେ
ତୁ କିନ୍ତୁ ମୋ ସାଆନ୍ତ ପିନ୍ଧାଇ ଥିବା ଡେଉଁରିଆ କୁ
ଦେଖି ଡରି ଯାଉଥିଲୁ ,
ଆଉ ମୁଁ ତୋ ଡର ଭୁଲି ଦଣ୍ଡେ ଜୀଇଁ ଯାଉଥିଲି |
---------------------------------------------------------
ସାଆନ୍ତ ଚାଲିଗଲେ ; ବାପା ବି ଅଚଳ ହେଲେ;
ତା ସୁଯୋଗ ତୁ ପୁରା ନେଲୁ ଓ
କଲରା ପତରିଆ ବାଘ ଟିଏ ହୋଇ ଆଗରେ ବସିଲୁ |
ହାଇ ମାରି ତୋ ବଡ ବଡ ମୁନିଆଁ ଦାନ୍ତ ଗୁଡାକୁ
ବାରମ୍ବାର ମୋତେ ଗଣିବାକୁ କହିଲୁ
ମୋତେ ଡରାଇବା ପାଇଁ, ଅବା
ମୋ ହାତରେ କେଂଦରା ଟିଏ ଦେଇ
ସମସ୍ତଂକୁ କିରି କିରି ହସାଇବା ପାଇଁ |
ମୋ ସାଂଗରେ ଜନ୍ମ ନେଇ, ତୋର ମୋ ଉପରେ
ଏତେ ଅହନ୍ତା କାହିଁକି ?
ପଚାରି ଥିଲି କେତେ ଥର ତୋତେ ;
ସବୁଥର ବୋଉ ଦେଇଥିବା ଡେଉଁରିଆ ମୋ ଗଳା ରେ ଦେଖି
ଦୁମ୍ ଦୁମ୍ ହୋଇ ଚାଲି ଯାଉଥୀଲୁ
ପୁଣି ଫେରି ଆସିବାକୁ
ସୁଯୋଗ ଉଣ୍ଡି
ଦରାଣ୍ଡି , ଦରାଣ୍ଡି|
.........................................................................
ଏବେ
ମୁଁ ମୋ କାମରେ, ଲୋକ ଗହଳିରେ ଥିଲେ
ତୁ ଅପେକ୍ଷା କରିଥାଉ ଘରେ.
ସୋଫା ଉପରେ,
କେତେବେଳେ ସଫୋଲା ସୋରିଷ ତେଲ ଶିଶି ମଝିରେ
ଡାଲି ଚାଉଳ ଡବା ସଂଧିରେ
ମୋ ପୁରୁଣା ମାରୁତି କାର୍ ଡିକି ଭିତରେ |
ଘରକୁ ଫେରି ନିରୋଳାରେ ବସିଥିଲା ବେଳେ
ତୁ ଲୁଚିଥିବା ଜାଗରୁ ବାହାରି
ଟିଭି ପରଦା ଉପରେ ନାଚୁ |
ଛି ! ତୁ ଏମିତି ରୁପ ବଦଳାଇ ସରମହୀନ ହୋଇ
କାହିଁକି ନାଚୁ ?
କେମିତି ନାଚୁ ଲଂଗଲା ପାଦନେଇ
ଛନ୍ଦହୀନ ହୋଇ
ଆଖିରେ ଅସୂୟାର ସୁରମା ଲଗାଇ ?
---------------------------------------------------------
କେବେ ଥକାରେ ନିଦ ଲାଗି ଆସୁଥିଲା ବେଳେ
ତୁ ଗୋଟେ ଉଦ୍ଭଟ ଜୋକ ହୋଇ
ମୋ ଧମନୀ ରେ ଅଯଥା ଗୁଡ଼ାଏ ରକ୍ତ ପମ୍ପ୍ କରିଦେଉ ଯେ
ମୁଁ ଅଣନିସ୍ବାସୀ ହୋଇ ଉଠିପଡେ ଓ
ତୁ ଖଟ ଆର କଡରେ ଠିଆ ହୋଇ
ଖପର ଧରି ମୋ ରକ୍ତ ସବୁ ପିଇବାକୁ ମାଗୁ |
କି ଅସମ୍ଭବ ତୋ ଯୁକ୍ତି
ଦେଇ ପୁଣି ନେବାକୁ ଦାବି କରିବାର,
ଫୁଲଦେଇ କଂଟା ଫୋଡି ବାର,
ଜୀବନ ଦେଇ ମୃତ୍ୟୁ ମାଗିବାର |
ମୃତ୍ୟୁ ମୋର
ଛକା ପଂଝାର ନାହିଁ ପ୍ରୋୟାଜନ |
ତୁ ସତ୍ୟ, ଚିରନ୍ତନ |
ବରଂ, ସାଥିଦେ
କାମ ସାରି ଚାଲିଯିବା , ହାତ ଧରା ଧରି ହୋଇ
ଗାଇ ଗାଇ ଏ ଜନ୍ମର ଛନ୍ଦଭରା ମଧୁର ରାଗିଣୀ;
ଶୋଇଯିଵା ବହଳ ନିଦ ରେ , ସେଇ ଆମ୍ବ ଗଛ ତଳେ
ଦୁଇ ସମାଧୀ ମଝିରେ , ଅଭୁଲା ଜମିରେ |
===============================================
No comments:
Post a Comment