Friday, June 27, 2014

||| ବିବାହ ର ରୋପ୍ୟ-ଜୟନ୍ତୀ |||


[ sorry for Friends who don't know Odia ]

||| ବିବାହ ର ରୋପ୍ୟ-ଜୟନ୍ତୀ |||
(on the occasion of 25 years of our marriage)

କଥା ହେଲା ମୋ ଚୁପ-ଚାପ ଗୁଣ | ତା ଛଡା ଭାବିଲି ଏମିତି ମୁଁ ଗୋଟେ କିଏ, କି ମୋ କଥା ସମସ୍ତେ ଜାଣିବା ଦରକାର | ତେଣୁ ନୀରବ ରହିଲି | କିନ୍ତୁ ସୋସିଆଲ୍ ନେଟ -ବର୍କିଂଗ୍ ରେ ରହି କିଛିଟା କୁହାଳିଆ ହୋଇଗଲିଣି ବୋଧେ | ରବିନ୍ଦ୍ର ବାବୁ ବି ପ୍ରଶ୍ନ କଲେ ‘ଆଜି କିଛି ସ୍ପେସାଲ କି ?’ | ଆପଣ ମାନେ ବି ଆମ ଦୁଇ ଜଣଂକ ଛବିରେ ଲାଇକ୍ ବର୍ଷା କଲେ | ତେଣୁ କହୁଛି ....

ଗତକାଲି ଆମ ଶୁଦ୍ଧ ଗାହ୍ର୍ୟସ୍ଥ ଜୀବନ ନିରବଛିନ୍ନ ୨୫ ବର୍ଷ ପୁରିଲା | ଶୁଦ୍ଧ ଆଜ୍ଞା, ଅନ୍ତତ ମୋ ପାଇଁ – ହା ହା ହା , ମୋ ସ୍ତ୍ରୀ, ଅଂଜଳି ଫେସ୍-ବୁକ୍ ରେ ନାହିଁ; ତେଣୁ ମୁଁ ଟିକିଏ ଚୁଗୁଲି କରିଦେଲି ; କିଛି ବେଶୀ ଭାବିଯିବେ ନି ତ ... ହାହାହା .

କଥା ହେଲା, ଆମେ କିପରି ପାଳନ କରିବୁ ? ଆପଣ ଜାଣି ଥିବେ – ନଜାଣିଥିଲେ ମୁଁ କହିଦେଉଛି ଯେ ମୁଁ ଟିକିଏ ଗାଉଁଲି ରକମ ର | ତେଣୁ କେକ୍ କଟା-ଛଟା ରେ ଏତେ ମନ ନାହିଁ | ଟିକିଏ ଚୁପ୍-ଚାପ ପ୍ରକୃତି ହୋଇଥିବାରୁ ହୋଇ-ହାଲା କରିବା କୁ ଚାହିଁଲୁନି | ତାହେଲେ ପୁଣି ପାଳନ କେମିତି ହେବ ?

ନୂଆ ପୋଷାକ ଦୁଇ ଜଣଂକର ହେଲା | ବାସ୍ ସେତିକି ? ନା ନା ଆଜ୍ଞା, ଏତିକି ରେ କଣ ହୁଏ | ତେଣୁ ତନିଷ୍କ ଯାଇ ଧର୍ମପନ୍ତିଂକ ପାଇଁ ଗୋଟେ ଛୋଟ ପାରିଲା ପଣ ର ଗହଣା କିଣା ହେଲା | ସ୍ମୃତି ପାଇଁ ତ କିଛି ଖିଅ ଦରକାର – ଆଉ ମୋଗଲ୍ ସମ୍ରାଟ୍ ନା କଣ କିଛି ଗୋଟେ ତାଜମହଲ ଭଳି ଗଢିଦେବି – ମାଷ୍ଟ୍ରଟି ଏ ଆଜ୍ଞା | ସେ ଯା ହେଉ ଶ୍ରୀମତୀ ତ ଖୁସୀ ଆଉ ଯିଏ ଯାହା କହୁ |

ତା ପରେ ? ଟିକିଏ ଭଗବତ୍ କୃପା ପାଇଁ ଦେବ ଦର୍ଶନ ପାଇଁ ବାହାରିଲୁ | କୁଆଡେ ଯିବୁ ? ଆମ କାଳିଆ କୁ ତ ଜ୍ବର| ଖରଦିନିଆ ଜ୍ବର ରେ, ଆଜ୍ଞା ବହୁତ କଷ୍ଟ ପାଉଛି | ଗତ ସପ୍ତାହ ଯାଇ ଦେଖା କରି ଆଶିଥିଲୁ | ଆଉ ତାକୁ ଡକାଡାକି କରି ହଇରାଣ କରିବାକୁ ଇଛିଲୁନି | ଘର ପାଖ ଲିନଗମପଲ୍ଲୀ ରେ ମାତା ମନ୍ଦିର ଗଲୁ | ପୁଣି ଗଲୁ ଚିଲକୁର୍ ବାଲାଜୀ ମନ୍ଦିର |

ମୁଁ ବଂଗାଳପୁରିଆ କରଣ | ଆଉ କିଛି ବଂଗାଳପୁରିଆ କ’ରଣ ଫେସ୍-ବୁକ୍ ରେ ଅଛନ୍ତି , ତେବେ ବି ମୁଁ କହିଦିଏ ଆପଣ ମାନଂକୁ ଚୁପ୍ କରି | ଆମେ ଏକ ପଥେ ଦୁଇ କାମ୍ କରୁ – ଚିଲକୁର୍ ବାଲାଜୀ ଦର୍ଶନ ହେଲା ତା ସହିତ ମାନଶିକ ୧୦୮ ଥର ପ୍ରଦକ୍ଷୀଣ | ରଥ ଦେଖା, କଦଲୀ ବିକା |

ଆଜ୍ଞା ମୁଁ ନୁହେଁ – ମୋ ସ୍ତ୍ରୀ ଗତ ମେ ମାସ ଦେଶ ର ମଂଗଳ ପାଇଁ ମାନସିକ ରଖିଥିଲେ – ସେ ମାନସିକ ରକ୍ଷାକରି ଏ ପ୍ରଦକ୍ଷୀଣ ; ମୁଁ କବଳ ତାଂକ ସହିତ ଯୋଗ ଦେଲି | କେମିତି ନଦିଅନ୍ତି ଯେ | ଆପଣ ମାନେ କେହି ବେଶୀ ବୁଝିବେନି – ମୋତେ ମୋଦୀ ଲୋକ ବୋଲି ଭାବୀ ଦେଲେକି ; ଆଜ୍ଞା ମୁଁ ଚାକିରୀ କରିଛି; ନିର୍ମାୟା ଜନ୍ତୁ ଟିଏ, ରାଜନୀତି କରେନି ଆଜ୍ଞା, କରିବି ବି ନି | ବୋଧେ ବେଶୀ ସତ୍ୟ, କରି ପାରିବି ନାହିଁ | ଛାଡନ୍ତୁ ସେ କଥା |

ଏବେ କହିଦେଲି, ଏମିତି ଆମେ ଆମର ବିବାହ ର (ଲିଭିଂ-ଟୁଗେଦେୟାର ନୁହଁ) ରୋପ୍ୟ-ଜୟନ୍ତୀ ପାଳନ କଲୁ | ଏବଂ ବାର୍ଦ୍ଧ୍ୟକ କୁ ପାଦ ବଢାଇଲୁ !

||| ଜୟ ଜଗନ୍ନାଥ |||

No comments: